ରାଜ୍ୟ

ପର୍ଯ୍ୟଟନ କାରାଭାନ ଲୋକାର୍ପିତ : ନୂତନ ସ୍ଥାନ ବୁଲିଯିବା ସହ ସୁରକ୍ଷିତ ଓ ଆନନ୍ଦଦାୟକ ଯାତ୍ରା ପ୍ରଦାନ ଉପରେ ଗୁରୁତ୍ଵାରୋପ

ଭୁବନେଶ୍ବର :- ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପର୍ଯ୍ୟଟନ କାରାଭାନକୁ ଲୋକାର୍ପିତ କରିଛନ୍ତି । ଶାନ୍ତିସ୍ତୂପ ଧଉଳି ଠାରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାରାଭାନ ମାଧ୍ୟମରେ ନିଜ ସ୍ବଚ୍ଛନ୍ଦରେ ପର୍ଯ୍ୟଟକ ମାନେ ଭ୍ରମଣ କରିବାର ମଜ୍ଜା ନେଇପାରିବେ । ନିଜେ କିମ୍ବା ନିଜ ପରିବାର ଓ ବନ୍ଧୁମାନଙ୍କ ସହ ବିଭିନ୍ନ ସ୍ଥାନକୁ ଯାଇ ସେଠାକାର ଖାଦ୍ୟପେୟ, ସଂସ୍କୃତି ଏବଂ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିବାର ସୁଯୋଗ ପାଇପାରିବେ ।

ଏହାକୁ ଉଦଘାଟନ କରି ଶ୍ରୀମତୀ ପରିଡା କହିଲେ ଯେ ଏହି କାରାଭାନ୍‌ ଟୁରିଜିମ୍‌ ୟୁରୋପୀୟ ଦେଶରେ ମଧ୍ୟ ଖୁବ୍‌ ଲୋକପ୍ରିୟ ଏବଂ ଏ କ୍ଷେତ୍ରରେ ଆମର ଅନନ୍ୟ ପ୍ରୟାସ ଯୁବ ପର୍ଯ୍ୟଟକ ଏବଂ ଦୁଃସାହସିକ ଏବଂ ପ୍ରକୃତି ଆଧାରିତ ପର୍ଯ୍ୟଟକପ୍ରେମୀଙ୍କୁ ଆକର୍ଷିତ କରିବ । ଏହି କାରାଭାନ୍‌ ଯାତ୍ରା ବିଶେଷ ଭାବରେ ଶାନ୍ତ, କାନ୍ତ, କମନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନଗୁଡ଼ିକରେ ନୂତନ ଅଭିଜ୍ଞତା ଆଣିଦେବ ବୋଲି ସେ କହିଛନ୍ତି ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭୁବନେଶ୍ବର-ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ କହିଲେ ଯେ ଏହାଦ୍ବାରା ପର୍ଯ୍ୟଟନ କ୍ଷେତ୍ର ପରିବ୍ୟାପ୍ତ ହେବା ସହ ସୁଖଦ ଓ ସୁରକ୍ଷିତ ଯାତ୍ରା ଲକ୍ଷ୍ୟ ହାସଲ ଦିଗରେ ସହାୟକ ହୋଇପାରିବ । ସରକାରଙ୍କ ଏହି ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ।

ସ୍ଵାଗତ ଭାଷଣ ପ୍ରଦାନ କରି ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର କହିଲେ ଯେ ନିଜ ସ୍ୱଚ୍ଛନ୍ଦରେ ପର୍ଯ୍ୟଟକମାନେ ପର୍ବତ୍ୟାଞ୍ଚଳଠାରୁ ଆରମ୍ଭ କରି ଦୁର୍ଗମ ଗ୍ରାମାଞ୍ଚଳକୁ ପରିଭ୍ରମଣ କରିପାରିବେ । ଯାହା ପର୍ଯ୍ୟଟକମାନଙ୍କୁ ଭ୍ରମଣଭିତ୍ତିକ ଆନନ୍ଦ ପ୍ରଦାନ କରିବ ।

ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଥି ପାଇଁ ରାଜ୍ୟର ହୀରାକୁଦ, ଶିମିଳିପାଳ, ଦାରିଙ୍ଗବାଡ଼ି, ଦେଓମାଳି, ତାଳସାରି, ପେଣ୍ଠ, ମଙ୍ଗଳାଯୋଡ଼ି, ଯିରାଙ୍ଗ ଏବଂ ଅନ୍ୟାନ୍ୟ ମନୋରମ ସ୍ଥାନକୁ ଏହି କାରାଭାନ୍‌ ଟୁରିଜିମ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି ।

ପର୍ଯ୍ୟଟନ ବିଭାଗ ଦ୍ୱାରା ଭାଏବିଲିଟି ଗ୍ୟାପ୍‌ ଫଣ୍ଡିଂ (VGF) ଅଧିନରେ ସ୍ୟାଣ୍ଡ ଏବଂ ପେବେଲ ଟୁରସ୍‌ ସଂସ୍ଥା ସହଯୋଗରେ ଏହି ଅଭିଯାନ ଆରମ୍ଭ ହୋଇଛି । ପ୍ରଥମେ ଏହି କାରାଭନ ବାଲେଶ୍ବରର ତାଳସାରି ଯିବ । ପ୍ରଥମେ ଯାତ୍ରା କରୁଥିବା ଦମ୍ପତି ଶ୍ରୀ ଅନ୍ନଦା ପ୍ରସାଦ ପାଢୀ ଏବ ଶ୍ରୀମତୀ ଅର୍ଚ୍ଚନା ପାଢୀଙ୍କୁ ଟିକେଟ ପ୍ରଦାନ କରାଯାଇଛି

ଏହି ଅବସରରେ ଭୁବନେଶ୍ବର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନିରୂପମା ସାହୁ, ଧଉଳି ସରପଞ୍ଚ ଶ୍ରୀ ଚନ୍ଦନ ମଲ୍ଲିକ, ବିଭାଗୀୟ ଅଧିକାରୀ ପ୍ରମୁକ ଉପସ୍ଥିତ ଥିବା ବେଳେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ରୁଦ୍ର ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

Back to top button