ପୁରୀରେ ଭାରତ–ଜାପାନ ପର୍ଯ୍ୟଟନ ସହଯୋଗ କାର୍ଯ୍ୟକ୍ରମ; ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାକୁ ଆନ୍ତର୍ଜାତୀୟ ମଞ୍ଚରେ ଉତ୍ଥାନ

ପୁରୀ: ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଓ ଜାପାନ ମଧ୍ୟରେ ଦୀର୍ଘମିଆଦୀ ସହଯୋଗ ଓ ପାରସ୍ପରିକ ଅଭିବୃଦ୍ଧିକୁ ଆଗକୁ ନେବା ପାଇଁ ପୁରୀରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଭାରତ ଓ ଜାପାନ ମଧ୍ୟରେ ସଂସ୍କୃତି, ଶିକ୍ଷା ଏବଂ ପର୍ଯ୍ୟଟନର ଆଦାନ–ପ୍ରଦାନକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପୁରୀର ହୋଟେଲ ହଲିଡେ ରିସୋର୍ଟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କନସୁଲେଟ ଜେନେରାଲ ଅଫ ଜାପାନ, କୋଲକାତା ଓ ଇଣ୍ଡୋ–ଜାପାନ ଫ୍ରେଣ୍ଡସିପ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ଏହି ଅବସରରେ ଜାପାନର ଡେପୁଟି କନସୁଲ ଜେନେରାଲ ଆସିଦା କଟସୁନୋରୀ ମତ ପ୍ରକାଶ କରିଥିଲେ ଯେ, ପର୍ଯ୍ୟଟନ ମାଧ୍ୟମରେ ଓଡ଼ିଶା ଓ ଜାପାନ ମଧ୍ୟରେ ଦୃଢ଼ ସହଯୋଗ ସୃଷ୍ଟି ହେବ। ଓଡ଼ିଶାର ଆଧ୍ୟାତ୍ମିକ ପର୍ଯ୍ୟଟନ, ସମୁଦ୍ରତଟୀୟ ଗନ୍ତବ୍ୟସ୍ଥଳ ଓ ଐତିହ୍ୟସମୃଦ୍ଧ ସ୍ଥାନଗୁଡ଼ିକୁ ବିଶ୍ୱ ମଞ୍ଚରେ ପରିଚିତ କରାଯିବ। ସେହିପରି ଭାଷା ତାଲିମ, ବିଶ୍ୱସ୍ତରୀୟ ସେବା ମାନକ ଓ ଆନ୍ତର୍ଜାତୀୟ ମାର୍କେଟିଂ ଭଳି କ୍ଷେତ୍ରର ଅଭାବକୁ ମଧ୍ୟ ଦୂର କରାଯିବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରଦର୍ଶନ ସହ ଜାପାନୀୟ ସଂଗୀତ ପ୍ରଦର୍ଶନ ମଧ୍ୟ ହୋଇଥିଲା। ଡେପୁଟି କନସୁଲ ଜେନେରାଲ ଜାପାନୀୟ ଗୀତ ଗାଇ ଉପସ୍ଥିତ ଦର୍ଶକଙ୍କୁ ମନୋମୁଗ୍ଧ କରିଥିଲେ।
ପରବର୍ତ୍ତୀ ସତ୍ରରେ ଏକ ପ୍ୟାନେଲ୍ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏଥିରେ ହଲିଡେ ରିସୋର୍ଟର ପରିଚାଳନା ନିର୍ଦ୍ଦେଶକ ରାଜକିଶୋର ପାତ୍ର, ଜାପାନ ସରକାରଙ୍କ ଇଣ୍ଡିଆ ବିଜ୍ନେସ ଆଡଭାଇଜର (ଟୋଟୋରୀ ପ୍ରିଫେକ୍ଚର) କୁନା ଦାସ, ଆନ୍ତର୍ଜାତୀୟ ପର୍ଯ୍ୟଟକ ଜୟମ୍ଭ ସେଠ୍ ଓ ୱାର୍ଲ୍ଡୱାଇଡ୍ ଗେଟୱେ ପ୍ରତିଷ୍ଠାତା ଧନଞ୍ଜୟ ଦାସ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରେ ଦର୍ଶକ ଓ ପ୍ୟାନେଲିଷ୍ଟମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର ସତ୍ର ମଧ୍ୟ ହୋଇଥିଲା।
ହୋଟେଲ ଆସୋସିଏସନ ଅଫ ପୁରୀ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ସଂଘର କୋଷାଧ୍ୟକ୍ଷ ରବିନାରାୟଣ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କୁନା ଦାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।




