ଜନଗଣନା କାର୍ଯ୍ୟଭାର ସହିପାରିଲେନି ସ୍କୁଲ ଦିଦି: ୩ ଦିନ ନିଖୋଜ ପରେ ଷ୍ଟେସନରୁ ଉଦ୍ଧାର
ବାଲେଶ୍ୱର ଷ୍ଟେସନରେ କାଟିଲେ ୩ ରାତି; ମୋବାଇଲ୍ ଟ୍ରାକିଂ କରି ପୋଲିସକୁ ମିଳିଲା ସଫଳତା

ଜନଗଣନା କାର୍ଯ୍ୟର ଅତ୍ୟଧିକ ଚାପ ସହି ନପାରି ଜଣେ ଶିକ୍ଷୟତ୍ରୀ ନିଖୋଜ ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ୩ ଦିନ ଧରି ନିଖୋଜ ରହିବା ପରେ ଶେଷରେ ମୋବାଇଲ୍ ଟ୍ରାକିଂ ସାହାଯ୍ୟରେ ବାରିପଦା ସଦର ପୋଲିସ ତାଙ୍କୁ ବାଲେଶ୍ୱର ରେଳ ଷ୍ଟେସନରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି।
ନିଖୋଜ ଶିକ୍ଷୟତ୍ରୀ ଜଣକ ହେଉଛନ୍ତି ଢେଙ୍କିନେଞ୍ଜିଆ ସରକାରୀ ୟୁ.ପି. ସ୍କୁଲର ସହକାରୀ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ (୩୦)। ସୂଚନା ଅନୁଯାୟୀ, ଗତ ଏପ୍ରିଲ ୧୬ ତାରିଖରୁ ସେ ସେନସସ୍-୨୦୨୬ କାର୍ଯ୍ୟରେ ନିୟୋଜିତ ଥିଲେ। ଗତ ୧୮ ତାରିଖ ସକାଳ ୭ଟାରେ ସେ ସ୍କୁଲକୁ ଯାଇ ସେଠାରୁ ଜନଗଣନା କାର୍ଯ୍ୟ ପାଇଁ କ୍ଷେତ୍ର ପରିଦର୍ଶନରେ ବାହାରିଥିଲେ। ମାତ୍ର ଦ୍ୱିପ୍ରହର ପରେ ସେ ଆଉ ଘରକୁ ଫେରିନଥିଲେ ଏବଂ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା।
ପରିବାର ଲୋକେ ସବୁଆଡ଼େ ଖୋଜାଖୋଜି କରି ନିରାଶ ହେବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ମୋବାଇଲ୍ ଲୋକେସନ ଟ୍ରାକ୍ କରି ଜାଣିବାକୁ ପାଇଥିଲା ଯେ ଶିକ୍ଷୟତ୍ରୀ ଜଣକ ବାଲେଶ୍ୱର ଅଞ୍ଚଳରେ ଅଛନ୍ତି। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ବାରିପଦା ଅଣାଯାଇଛି। ବାରିପଦା ସଦର ଏସଡିପିଓ ପ୍ରଭାତ ମଲ୍ଲିକଙ୍କ ପ୍ରକାଶ କରିଛନ୍ତି ଶିକ୍ଷୟତ୍ରୀଙ୍କୁ ବର୍ତ୍ତମାନ ପଚରାଉଚୁରା କରାଯାଉଛି।ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଆଜି *’ୱାନ ଷ୍ଟପ ସେଣ୍ଟର’*ରେ ରଖାଯାଇଛି। ଆସନ୍ତାକାଲି ଆଇନଗତ ପ୍ରକ୍ରିୟା ଶେଷ ପରେ ତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
ଏହି ଘଟଣା ଜନଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ମାନସିକ ଚାପକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କାର୍ଯ୍ୟର ଅତ୍ୟଧିକ ଭାର ଯୋଗୁଁ ସେ ମାନସିକ ଚାପ ସହିପାରିନଥିଲେ। ଫଳରେ ସେ କାର୍ଯ୍ୟକ୍ଷେତ୍ରରୁ ପଳାଇ ଯାଇ ବାରିପଦା ଷ୍ଟେସନରୁ ଟ୍ରେନ ଯୋଗେ ବାଲେଶ୍ୱର ଚାଲିଯାଇଥିଲେ ଏବଂ ସେଠାରେ ୩ ଦିନ ଧରି ଷ୍ଟେସନରେ ରହିଥିଲେ।”




