ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଦ୍ୱିଦିବସୀୟ “ପୋଥି ସମ୍ପାଦନା କର୍ମଶାଳା” ଆରମ୍ଭ: ଭାଷା ଐତିହ୍ୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ବାଲେଶ୍ବର(ବ୍ୟାସବିହାର),
୨୪/୦୪/୨୦୨୬
ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗର ପ୍ରୟାସରେ ତଥା ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ, ବାଲେଶ୍ୱର ଙ୍କ ସହଭାଗିତାରେ ଦ୍ବି-ଦିବସୀୟ “ପୋଥି ସମ୍ପାଦନା କର୍ମଶାଳା” (୨୪ ଓ ୨୫ ଏପ୍ରିଲ) ଏକ ଶିକ୍ଷାନୁଷ୍ଠାନିକ ପରିବେଶରେ ଆରମ୍ଭ ହୋଇଯାଇଛି।
ଭାଷା-ସାହିତ୍ୟ ଅଧ୍ୟୟନର ମୂଳ ଆଧାର ଭାବେ ପୋଥିଗୁଡ଼ିକର ସଂରକ୍ଷଣ, ସମ୍ପାଦନା ଓ ପୁନଃପାଠର ଆବଶ୍ୟକତାକୁ ଅନୁଭବ କରି ଏହି କର୍ମଶାଳାର ଆୟୋଜନ କରାଯାଇଛି।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଭାଗମୁଖ୍ୟ ଓ କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ଦେବାଶିଷ ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରି ପୋଥି ସମ୍ପାଦନାର ଆବଶ୍ୟକତା, ପାଠାନୁଶୀଳନ ଓ ଗବେଷଣାମୂଳକ ଦୃଷ୍ଟିକୋଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ।
ସଭାପତି ଭାବେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସଭାପତିତ୍ବ କରି ନିଜର ଅଭିଭାଷଣରେ କହିଥିଲେ ଯେ, ପୋଥିଗୁଡ଼ିକ ଆମ ସାଂସ୍କୃତିକ ସ୍ମୃତିର ମୂଲ୍ୟବାନ ଭଣ୍ଡାର ଓ ବୈଜ୍ଞାନିକ ପଦ୍ଧତି ସାହାଯ୍ଯରେ ଏହାର ସମ୍ପାଦନା ଦ୍ୱାରା ଭାଷା ଓ ସାହିତ୍ୟର ଐତିହ୍ୟକୁ ସୁରକ୍ଷିତ କରାଯାଇପାରିବ। ବିଶ୍ୱବିଦ୍ୟାଳୟର ଦ୍ବାରା ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ଫଳପ୍ରଦ ହେବାନେଇ ଆଶାବ୍ୟକ୍ତ କରିଥିଲେ।
ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ତାଙ୍କ ବକ୍ତବ୍ୟରେ ପୋଥି ସଂଗ୍ରହ, ସଂରକ୍ଷଣ ଓ ଗବେଷଣାର ଅନ୍ତଃଶାସ୍ତ୍ରୀୟ ମାନକୁ ଉଲ୍ଲେଖ କରିଥିଲେ।
ଏହି ଅବସରରେ ବରିଷ୍ଠ ସଂଯୁକ୍ତ ପ୍ରଫେସର- ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ପୋଥି ପାଠ ଓ ସମ୍ପାଦନାର ପ୍ରାୟୋଗିକ ପଦ୍ଧତି ସମ୍ପର୍କରେ ଉପସ୍ଥାପନା କରିଥିଲେ।
ବରେଣ୍ୟ ଅତିଥି ଭାବେ ଯୋଗଦେଇଥିବା ଡ଼କ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, (ସମ୍ପାଦକ, ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ, ବାଲେଶ୍ୱର) – ପୋଥି ସମ୍ପାଦନାର ଐତିହାସିକ ପରମ୍ପରା, ପାଠସଂଶୋଧନ ପ୍ରଣାଳୀ ଓ ଆଧୁନିକ ପ୍ରବନ୍ଧନର ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ।
ଏହି କର୍ମଶାଳାରେ ଶତାଧିକ ଛାତ୍ରଛାତ୍ରୀ ଓ ଗବେଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ସହିତ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପରିଷଦର ସଦସ୍ୟମାନଙ୍କ ସକ୍ରିୟ ଯୋଗଦାନ ଲକ୍ଷ୍ୟଣୀୟ ଥିଲା।
ବୈଷୟିକ ଅଧିବେଶନଗୁଡ଼ିକରେ ପୋଥିର ଇତିହାସ, ବିକାଶ, ତଥା ସମ୍ପାଦନାର ବିଭିନ୍ନ ସୋପାନ ସମ୍ପର୍କରେ ଗଭୀର ଚର୍ଚ୍ଚା ହୋଇଥିଲା। ପୋଥି ପଠନ ଓ ପୁଷ୍ପିକା ପଠନର ଅଭ୍ୟାସ ମାଧ୍ୟମରେ ଅଂଶଗ୍ରାହୀମାନେ ପ୍ରାୟୋଗିକ ଅନୁଭବ ଲାଭ କରିଥିଲେ।
ବିଶ୍ୱବିଦ୍ୟାଳୟରେ ରହିଥିବା ଶତାଧିକ ପୋଥିର ସମ୍ପାଦନାକୁ ଗତିପଥ ପ୍ରଦାନ କରିବା ସହ ଭାଷା ଓ ସାହିତ୍ୟ ଭିତ୍ତିକ ସଂରକ୍ଷଣର ନୂତନ ସମ୍ଭାବନା ସୃଷ୍ଟି କରିବା ଏହି କର୍ମଶାଳାର ପ୍ରମୁଖ ଲକ୍ଷ୍ୟ ରହିଛି।
ଶେଷରେ ଡ଼କ୍ଟର ଜୟନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।




