୮୦ ଜଳହସ୍ତୀଙ୍କ ଜୀବନ ରକ୍ଷା ପାଇଁ କଲମ୍ବିଆକୁ ଅନନ୍ତ ଅମ୍ବାନୀଙ୍କ ଅପିଲ
'ବନତାରା'ରେ ଆଜୀବନ ବାସସ୍ଥାନ ଯୋଗାଇବାକୁ ଦେଇଛନ୍ତି ପ୍ରସ୍ତାବ

ଜାମନଗର (ଭାରତ), ଏପ୍ରିଲ ୨୮, ୨୦୨୬: ଦକ୍ଷିଣ ଆମେରିକୀୟ ଦେଶ କଲମ୍ବିଆର ମେଗଡାଲିୟାନା ନଦୀ ଉପତ୍ୟକାରେ ବାସ କରୁଥିବା ୮୦ ଜଳହସ୍ତୀଙ୍କୁ ହତ୍ୟା କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ବିଶ୍ୱର ସର୍ବବୃହତ ବନ୍ୟପ୍ରାଣୀ ଉଦ୍ଧାର ଏବଂ ସଂରକ୍ଷଣ କେନ୍ଦ୍ର ମଧ୍ୟରୁ ଅନ୍ୟତମ ‘ବନତାରା’ ର ପ୍ରତିଷ୍ଠାତା ଅନନ୍ତ ମୁକେଶ ଅମ୍ବାନୀ କଲମ୍ବିଆ ସରକାରଙ୍କୁ ଏହି ଜଳହସ୍ତୀଙ୍କ ଜୀବନ ରକ୍ଷା କରିବାକୁ ଆନୁଷ୍ଠାନିକ ଭାବେ ଅନୁରୋଧ କରିଛନ୍ତି। ସେ ଏକ ମାନବୀୟ ବିକଳ୍ପ ପ୍ରସ୍ତାବ ଦେଇଛନ୍ତି: ଏହି ପ୍ରାଣୀମାନଙ୍କୁ ସୁରକ୍ଷିତ ଏବଂ ବୈଜ୍ଞାନିକ ଉପାୟରେ ଗୁଜୁରାଟର ଜାମନଗରସ୍ଥିତ ‘ବନତାରା’କୁ ପଠାଯାଉ, ଯେଉଁଠାରେ ସେମାନଙ୍କୁ ଏକ ସ୍ଥାୟୀ ବାସସ୍ଥାନ ମିଳିପାରିବ।
କଲମ୍ବିଆର ପରିବେଶ ମନ୍ତ୍ରୀ ଇରେନ୍ ଭେଲେଜ୍ ଟୋରେସଙ୍କୁ ଲିଖିତ ଏକ ଚିଠିରେ ଏହି ଅନନ୍ତ ଅମ୍ବାନୀ ଏହି ଅପିଲ କରିଛନ୍ତି । ଚିଠିରେ କଲମ୍ବିଆ କର୍ତ୍ତୃପକ୍ଷଙ୍କ ତତ୍ତ୍ୱାବଧାନ ଏବଂ ଅନୁମୋଦନ ସହିତ ପୂର୍ଣ୍ଣ ସହାୟତା ପ୍ରଦାନ କରାଯିବା ନେଇ ଉଲ୍ଲେଖ କରାଯାଇଛି। ଏହି ପ୍ରସ୍ତାବ ପ୍ରାଣୀ କଲ୍ୟାଣ ପ୍ରତି ଅନନ୍ତ ଅମ୍ବାନୀଙ୍କ ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି, ଯେଉଁ ପ୍ରତିବଦ୍ଧତା ଯାହା ପାଇଁ ତାଙ୍କୁ ନିକଟରେ ‘ଗ୍ଲୋବାଲ୍ ହ୍ୟୁମେନ୍ ଆୱାର୍ଡ’ରେ ସମ୍ମାନିତ କରାଯାଇଥିଲା। ସେ ଏହି ସମ୍ମାନଜନକ ପୁରସ୍କାର ପାଇବାରେ ସବୁଠାରୁ କମ୍ ବୟସ୍କ ବ୍ୟକ୍ତି ଏବଂ ଏସିଆର ପ୍ରଥମ।
ଅନନ୍ତ ଅମ୍ବାନୀ କହିଛନ୍ତି, “ଏହି ୮୦ ଜଳହସ୍ତୀ ହେଉଛନ୍ତି ସମ୍ବେଦନଶୀଳ ପ୍ରାଣୀ ଯେଉଁମାନେ ବଦଳୁଥିବା ପରିସ୍ଥିତିର ଶିକାର ହୋଇଛନ୍ତି। ଯଦି ଆମେ ସେମାନଙ୍କୁ ସୁରକ୍ଷିତ ଏବଂ ମାନବୀୟ ଉପାୟରେ ଉଦ୍ଧାର କରିବାର କ୍ଷମତା ରଖୁ, ତେବେ ଏହା କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରିବା ଆମର ଦାୟିତ୍ୱ।” ବନତାରା କଲମ୍ବିଆ କର୍ତ୍ତୃପକ୍ଷଙ୍କୁ ଏକ ବିସ୍ତୃତ ଯୋଜନା ଦାଖଲ କରିଛି, ଯେଉଁଥିରେ ପଶୁଚିକିତ୍ସା ବିଶେଷଜ୍ଞଙ୍କ ଏକ ଦଳ ନିୟୋଜନ, ସୁରକ୍ଷିତ ପରିବହନ ବ୍ୟବସ୍ଥା କରିବା, ଜୈବ ସୁରକ୍ଷା ପ୍ରୋଟୋକଲ ଏବଂ ସେମାନଙ୍କ ପ୍ରାକୃତିକ ପରିବେଶ ଅନୁରୂପ ଏକ ବାସସ୍ଥାନ ପ୍ରଦାନ କରିବା ଅନ୍ତର୍ଭୁକ୍ତ ରହିଛି।
ଅନନ୍ତ ଅମ୍ବାନୀ ଆହୁରି କହିଛନ୍ତି, “କରୁଣା ଏବଂ ପ୍ରାଣୀ ଜୀବନର ସଂରକ୍ଷଣ ପରସ୍ପର ବିରୋଧୀ ନୁହେଁ। ସଠିକ୍ ବୈଜ୍ଞାନିକ ଚିନ୍ତାଧାରା ଏବଂ ଏକ ଯୋଜନାବଦ୍ଧ ପଦ୍ଧତି ସହିତ କାର୍ଯ୍ୟ କରି, ସ୍ଥାନୀୟ ସମୁଦାୟ ଏବଂ ପ୍ରକୃତିକୁ ସୁରକ୍ଷା ଦେବା ସହିତ ପ୍ରାଣୀମାନଙ୍କୁ ମଧ୍ୟ ରକ୍ଷା କରିବା ସମ୍ଭବ ଅଟେ। ବନତାରା ନିକଟରେ ଏହି କାର୍ଯ୍ୟକୁ ସଫଳତାର ସହିତ ସମ୍ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ବିଶେଷଜ୍ଞତା ଏବଂ ଭିତ୍ତିଭୂମି ଉପଲବ୍ଧ ରହିଛି।”
ବନତାରା ଆନୁଷ୍ଠାନିକ ଭାବରେ ଅନୁରୋଧ କରିଛି ଯେ ଏହି ବିକଳ୍ପ ଉପରେ ପୂର୍ଣ୍ଣଭାବରେ ବିଚାର ହେବା ପର୍ଯ୍ୟନ୍ତ ପ୍ରାଣୀମାନଙ୍କୁ ହତ୍ୟା କରିବାର ନିଷ୍ପତ୍ତିକୁ ସ୍ଥଗିତ ରଖାଯାଉ। ଏହା ବ୍ୟତୀତ, ବନତାରା କଲମ୍ବିଆ କର୍ତ୍ତୃପକ୍ଷଙ୍କ ସହିତ ସିଧାସଳଖ ଯୋଡି ହୋଇ ଏକ ବ୍ୟାପକ ବୈଜ୍ଞାନିକ, କାର୍ଯ୍ୟକ୍ଷମ ଏବଂ କଲ୍ୟାଣକାରୀ ପ୍ରସ୍ତାବ ଉପସ୍ଥାପନ କରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିଛି।
ଏହି ପ୍ରସ୍ତାବ ବନତାରାର ମୂଳ ଦର୍ଶନ ‘ପ୍ରତ୍ୟେକ ଜୀବ ଅମୂଲ୍ୟ’ କୁ ପ୍ରତିଫଳିତ କରୁଛି। ଏହା ବନ୍ୟପ୍ରାଣୀ ସମ୍ବନ୍ଧୀୟ ଜଟିଳ ବିଶ୍ୱ ଚ୍ୟାଲେଞ୍ଜର ବ୍ୟାପକ ଭାବରେ ବିଜ୍ଞାନ-ଆଧାରିତ ସମାଧାନ ପ୍ରଦାନ କରିବାରେ ଭାରତର ଉଦୀୟମାନ ଭୂମିକାକୁ ମଧ୍ୟ ରେଖାଙ୍କିତ କରୁଛି। ଏହି ଯୋଜନାର ଯେକୌଣସି କାର୍ଯ୍ୟନ୍ୱୟନ କଲମ୍ବିଆ ଏବଂ ଭାରତ ସରକାରଙ୍କ ଆବଶ୍ୟକୀୟ ଅନୁମୋଦନ ଏବଂ ସମ୍ବନ୍ଧିତ ଅନ୍ତର୍ଜାତୀୟ କର୍ତ୍ତୃପକ୍ଷଙ୍କ ଅନୁମତି ମିଳିବା ପରେ ହିଁ କରାଯିବ।




